• Post author:

ଆଜି ୨୦୨୦ ମସିହା ମାର୍ଚ୍ଚ ମାସ ୨୨ ତାରିଖ ରବିବାର | ପୂରା ଭାରତ ଏହାକୁ ଜନତା କର୍ଫ୍ୟୁ (janata curfew) ଭାବରେ ପାଳନ କରୁଥିବାରୁ ଏଇ ଦିନଟି ଆମ ଇତିହାସ ରେ ନିଶ୍ଚୟ ଏକ ସ୍ଥାନ ପାଇବ ବୋଲି ମୋର ବିଶ୍ୱାସ |

ନା ନା, ଭାବନ୍ତୁନି ଯେ ମୁଁ ଏଠି ଆପଣ ମାନଙ୍କୁ ଜନତା କର୍ଫ୍ୟୁ (janata curfew) ପାଳନ କରିବା ପାଇଁ ଉପଦେଶ ଦେବା ଆରମ୍ଭ କରି ଦେଲିଣି ବୋଲି | ଆରେ ଭାଇ ଯିଏ ମାନିବା ଲୋକ ସେମାନେ ମୁଁ ନକହିଲେ ବି ମାନୁଛନ୍ତି ଆଉ ଯିଏ ନ ମାନିବା ଲୋକ ସେମାନେ ତ ଆମ ପ୍ରଧାନମନ୍ତ୍ରୀ ଙ୍କ କହିବା ସତ୍ତ୍ବେ ବି ମାନୁ ନାହାନ୍ତି, ଆଉ ମୁଁ କୋଉ ଲୋକ ରେ ଗଣା |

ଏଇ ଲେଖା ଆରମ୍ଭ କଲା ବେଳେ ସମୟ ହେଇଥିଲା ଦିନ ଦୁଇଟା ବାଜି ୧୫ ମିନିଟ | ଦିନଟା ଏ ପର୍ଯ୍ୟନ୍ତ ମୋର କେମିତି ଯାଇଛି ସେଇ ବିଷୟ ରେ ଲେଖିବାକୁ ଇଚ୍ଛା ହେଲା ତ ତେଣୁ ଲେଖି ଦେଲି |

ସକାଳେ ନିଦ ଭାଙ୍ଗିଲା ୬ଟା ବେଳେ, ହେଲେ କରିବାର ତ କିଛି ନଥିଲା, ତେଣୁ ବିଛଣା ରେ ପଡି ରହି ବାପା ମା ଛୁଆ ଗପ ମାରୁ ମାରୁ, କରୋନା ଚୀନ ଇଟାଲୀ ପୁରୀ ପତିତପାବନ ବାନା ଇତ୍ୟାଦି ଆଡେ ବୁଲି ବୁଲି ପୁଣି ପ୍ରକୃତିସ୍ଥ ହେଲା ବେଳକୁ ସକାଳ ସାଢେ ଆଠଟା ହେଇ ଯାଇଥିଲା | ସମସ୍ତେ ଉଠି ଯେଝା କାମ ରେ ଲାଗି ଗଲୁ |

କିଛି ସମୟ ପରେ ନିତ୍ୟକର୍ମ ସରିଲା ପରେ ମୋର ଇଚ୍ଛା ହେଲା ଟିକିଏ ଛାତ ଉପରକୁ ଯାଇ ବାହାରଟା ଦେଖି ଆସିବା ପାଇଁ | ଛାତ ଉପରୁ ଚାରିଆଡେ ଅନେଇଲା ପରେ ଲାଗିଲା ଯେମିତି ମୁଁ ଗୋଟେ ନୂଆ ଦୁନିଆଁ କୁ ଚାଲି ଆସିଛି | ଯେଉଁ ରାସ୍ତା ରେ ଲୋକବାକ ଏବଂ ଗାଡିଘୋଡା ପୋକଜୋକ ଭଳି ହାଉ ଯାଉ ହେଉଥାନ୍ତି, ସେଇ ରାସ୍ତା ରେ ଆଜି କୁକୁର ଟିଏ ବି ଦେଖାଯାଉ ନଥିଲା | ବହୁତ ଖୁସି ଲାଗିଲା ଯେ ଯାହା ହେଉ ଲୋକମାନେ ପରିସ୍ଥିତି ର ଗୁରୁତ୍ବ ବୁଝି ପାରିଛନ୍ତି | ଏତିକି ବେଳେ ଗୋଟିଏ ମୋଟରସାଇକେଲ ରେ ୩ଟା ଟୋକା ସାଇଁ କରି ଚାଲିଗଲେ | ମନେ ମନେ ଭାବିଲି ତାଙ୍କ ପାଖରେ କାରଣ ଯାହା ବି ଥାଉ ନା କାହିଁକି, ତାଙ୍କ ନିଜ ଜୀବନ ଠାରୁ ତ ଅଧିକ ମୂଲ୍ୟବାନ ନୁହେଁ | ଏତିକି ବେଳେ ମନେପଡ଼ିଲା ହାଇଦ୍ରାବାଦ ଟ୍ରାଫିକ ପୋଲିସ ଙ୍କର ଫେସବୂକ ପୋଷ୍ଟ ଯେଉଁଥିରେ କର୍ଫ୍ୟୁ ନମାନି ମୋଟରସାଇକେଲ ରେ ଯାଉଥିବା ଲୋକ ମାନଙ୍କୁ ଟ୍ରାଫିକ ପୋଲିସ ମାନେ ହାତ ଯୋଡି ଘରକୁ ଫେରିଯିବା ପାଇଁ ଅନୁରୋଧ କରୁଥିଲେ | ଏମିତିଆ ବି ଲୋକ ଅଛନ୍ତି ଦୁନିଆ ରେ ବୋଲି ଭାବି ଭାବି ଘର ଭିତରକୁ ଫେରିଆସିଲି |

କିଛି ସମୟ ସ୍ତ୍ରୀ ଓ ପିଲାମାନଙ୍କ ସହିତ କଥାବାର୍ତ୍ତା ହେଲା ପରେ ଗୋଟେ ରୁମ ରେ ଆସି ବସି ସାଙ୍ଗ ମାନଙ୍କ ମେସେଜ ଦେଖିବାରେ ଲାଗିଗଲି | କେହି ଲେଖିଥିଲା କେବଳ ଗୋଟିଏ ଦିନ କର୍ଫ୍ୟୁ ଯଥେଷ୍ଟ ନୁହେଁ | କିଏ ଲେଖିଥିଲା ଅପେକ୍ଷା କର, ଆଗକୁ ଏହି କର୍ଫ୍ୟୁ ବଢିବ ନିଶ୍ଚୟ | ଆଉ କିଏ କହୁଥିଲା ଯେ ଅତି କମ ରେ ଦୁଇ ସପ୍ତାହ କର୍ଫ୍ୟୁ ହେଲେ ଯାଇ ଏ କରୋନା ସମସ୍ୟା ରୁ ମୁକ୍ତି ମିଳିବ |

ସେ ଯାହା ହେଉ ନା କାହିଁକି, କିଛି ଲୋକଙ୍କ ମେସେଜ ରୁ ଜଣା ପଡୁଥିଲା ଯେ ସେମାନେ ଏହି କର୍ଫ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନଥିଲେ |

ମୁଁ ମୋ ବିଷୟ ରେ ଭାବିବାକୁ ଲାଗିଲି, ଆଜି ଦିନ ଭିତରେ ଏପର୍ଯ୍ୟନ୍ତ ତ ଘର ଭିତରେ ସମୟ କିଛି ଖରାପ ରେ ବିତିନାହିଁ | ରବିବାର ଦିନଟା ବାହାରକୁ ଯାଇ ହେଲାନାହିଁ ବୋଲି ପିଲାମାନେ କିଛି ଅବୁଝା ହୋଇନାହାନ୍ତି, ସେମାନଙ୍କୁ ଆଗରୁ ବୁଝାଇ ଦିଆଯାଇଥିଲା ଯେ ଏହି କର୍ଫ୍ୟୁ କଣ ଆଉ କାହିଁକି ହେଉଛି | ସେମାନେ ଦିନସାରା ମୋ ଆଗପଛ ହୋଇ ବୁଲୁଛନ୍ତି ଆଉ ନାନା ବିଷୟରେ ମୋ ସହିତ ଗପୁଛନ୍ତି, କେତେବେଳେ ଟିକେ ଟିଭି ଦେଖି ଦେଉଛନ୍ତି ତ କେତେବେଳେ ପୁରୁଣା କାଗଜ଼ ଚିରି କଣ ଗୋଟେ ବନେଇ ପକାଉଛନ୍ତି, କାହିଁ ସେମାନେ ତ ବୋର ହେଉନାହାନ୍ତି | ସ୍ତ୍ରୀ ତେଣେ ଆମ ସମସ୍ତଙ୍କ ସକାଳ ଜଳଖିଆ ଖବର ବୁଝି ସାରିଲା ପରେ ରୋଷେଇ ଘରେ ମଧ୍ୟାହ୍ନ ଭୋଜନ ତିଆରି କରିବାରେ ବ୍ୟସ୍ତ, ମଝିରେ ମଝିରେ ରୋଷେଇ ଘର ଭିତରୁ ମୋତେ ଡାକ ଛାଡ଼ୁଛନ୍ତି, ଯେମିତି ମୁଁ ସତରେ ଘରେ ଅଛି ବୋଲି ତାଙ୍କର ବିଶ୍ୱାସ ହେଉନି, ଥରକୁ ଥର ଚେକ କରୁଛନ୍ତି |

ମୋତେ ଆଗରୁ ସମସ୍ତେ କହିସାରିଥିଲେ ଖରାବେଳ ଖାଇବା ପରେ କଣ ଗୋଟେ ଭଲ ସିନେମା ଟିଭିରେ ଚଳେଇ ଦେବା ପାଇଁ | ପରିବାର ଖୁସି ତ ମୁଁ ବି ଖୁସି, ତେଣୁ ସେମାନଙ୍କୁ ସିନେମା ଟିଏ ଲଗେଇ ଦେଲାପରେ ସେଇଟା ସରିବା ପର୍ଯ୍ୟନ୍ତ ସମୟ ସମ୍ପୂର୍ଣ ଭାବରେ ମୋର | ସେହି ସମୟରେ ମୁଁ କିଛି ପଢି ପାରିବି କିମ୍ବା ଲେଖି ପାରିବି ଏବଂ ଏହି ଲେଖାଟି ମଧ୍ୟ ସେହି ସମୟ ରେ ହିଁ ଲେଖା ଯାଇଛି |

ଏ ସବୁ ଭାବିଲା ପରେ ମୋତେ ଲାଗିଲା ଯେ ଖାଲି ଗୋଟିଏ ଦିନ କାହିଁକି, ସମସ୍ତ ଙ୍କ ମଙ୍ଗଳ ପାଇଁ ଯଦି ୧୫ ଦିନ ବି ଏଇଭଳି ଭାବରେ ରହିବାକୁ ପଡେ ତେବେ ବି କିଛି ଅସୁବିଧା ନାହିଁ |

ମୁଁ କରୋନା କୁ କହିବି “ଏ କରୋନା, ତୁ ଆଉ ହଇରାଣ କରନା, ଶୀଘ୍ର ଚାଲି ଯା ଏଠୁ, ହେଲେ ତୋ ଯୋଗୁ ମିଳିଥିବା ଆଜିର ଏଇ ସ୍ମୃତି ମଧୁର ଦିନଟି ପାଇଁ ତୋତେ ଧନ୍ୟବାଦ” |

ams73

Kindly refer to the About Me page at http://anindrasblog.com/about-me

Leave a Reply